Monday, March 02, 2026

News Image

ଚିନ୍ତା ବଢ଼ାଉଛି ‘ଶିକ୍ଷିତ ବେକାରୀ: କଲେଜ ପଢ଼ି ଘରେ ବସିଛନ୍ତି ଯୁବକ

By Siksha Sambad | January 25, 2026 | Views: 8

କଣ୍ଟାବାଞ୍ଜି : ଅପାଠୁଆ ବେକାରୀ ହେଉ କି ପ୍ରଥମ, ପଞ୍ଚମ, ମାଟ୍ରିକ ବା କଲେଜ ପଢୁଆ ବେକାରୀ । ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ର ନିକଟବର୍ତ୍ତୀ ବ୍ଳକ ଅଞ୍ଚଳରେ ବିଭିନ୍ନ ବର୍ଗର ବେକାରୀ ଯୁବକ-ଯୁବତୀ ଘରେ ବସିଛନ୍ତି । ସ୍ଥାନୀୟ ନିଯୁକ୍ତି ଶୂନ ରହିଥିବା ବେଳେ ଅନେକେ ଦାଦନ ଖଟିଯିବା କୁ ବାଧ୍ୟ ହେଉଛନ୍ତି । ଆଉ କିଛି ଅସାମାଜିକ କାର୍ଯ୍ୟକଳାପକୁ ପେଶା ବୋଲି ଗ୍ରହଣ କରି ନେଲେଣି । କଣ୍ଟାବାଞ୍ଜି ନିକଟବର୍ତ୍ତୀ ବ୍ଳକରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଆସୁଛନ୍ତି । ଏହି ଅଞ୍ଚଳରେ ଥିବା ୮ ଟି ଯୁକ୍ତ ଦୁଇ କଲେଜ ଓ ୯ ଟି ଯୁକ୍ତ ତିନି ଡିଗ୍ରୀ ମହାବିଦ୍ୟାଳୟରେ ପାଠ ପଢି ପାସ୍ କରୁଛନ୍ତି । ଏତେ ସଂଖ୍ୟକ ପିଲାଙ୍କ ମଧ୍ୟରେ ମାତ୍ର କିଛି ପ୍ରତିଶତ ପିଲା ଉଚ୍ଚ ଶିକ୍ଷା ତଥା ଅନ୍ୟାନ୍ୟ ଶିକ୍ଷା ଗ୍ରହଣ ପାଇଁ ବାହାରକୁ ପଢିବାକୁ ଯାଉଥିବା ବେଳେ ଅନ୍ୟମାନେ ଅନ୍ଧାରରେ । ଭବିଷ୍ୟତ ଖୋଜି ପାଉ ନାହାନ୍ତି ।କିଛି ଲୋକ ଟଙ୍କା ପଇସା ଖର୍ଚ କରି ନିଜ ପୁଅ-ଝିଅଙ୍କୁ ବାହାରେ ରଖି ପାଠ ପଢ଼ାଉଛନ୍ତି । ସେମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପରେ ମଧ୍ୟ ନିଯୁକ୍ତିର ବିଶେଷ ସୁଯୋଗ ମଧ୍ୟ ନାହିଁ । କିଛି ପିଲା ଅଞ୍ଚଳରେ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ କିଛି ଅନୁଷ୍ଠାନରେ କାମ କରୁଥିବା ବେଳେ କିଛି ପିଲା ଫାଇନାନ୍ସ କମ୍ପାନୀରେ ଯୋଗ ଦେଇ କିଛି କିଛି ରୋଜଗାର କରୁଛନ୍ତି । ଅନ୍ୟପକ୍ଷରେ କିଛି ପିଲା ରେଳବାଇ ତଥା କିଛି ସରକାରୀ ପରୀକ୍ଷା ଫର୍ମ ଭରି ଭରି ଦିନ ଯାଉଛି । ଫଳରେ ଅଞ୍ଚଳର ଶିକ୍ଷିତ ଯୁବଗୋଷ୍ଠୀ ଏକ ଅନିଶ୍ଚିତ ଭବିଷ୍ୟତ ନେଇ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ।କଣ୍ଟାବାଞ୍ଜି ଏବଂ ବଙ୍ଗୋମୁଣ୍ଡା ରେ ପୂର୍ବରୁ ଥିବା ସିମେଣ୍ଟ କାରଖାନା ମଧ୍ୟ ଦୀର୍ଘ ବର୍ଷ ହେଲା ବନ୍ଦ ହୋଇସାରିଛି । ଶିକ୍ଷିତ ବେକାରୀ ସମସ୍ୟା ଦୂର କରିବାକୁ ବେଳେ ବେଳେ ପ୍ରଶାସନର ମେଳା ପ୍ରୟାସ ଫଳରେ ନିଯୁକ୍ତି ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ପ୍ରକାରର ବୈଷୟିକ ଶିକ୍ଷା ଅଧ୍ୟୟନ କରିଥିବା ବହୁ ଆଶାୟୀ ଯୋଗ ଦିଅନ୍ତି । କିଛି ଆଶାୟୀ ନିଯୁକ୍ତି ପାଇଥିବା ବେଳେ ବାକିତକ ପୁଣି ନିରାଶ । ଅଞ୍ଚଳର ବହୁ ସଂଖ୍ୟକ ପିଲା ନିଜର ଉଚ୍ଚ ବର୍ଗର ଶିକ୍ଷା ସମ୍ବନ୍ଧୀୟ ପ୍ରମାଣ ପତ୍ରକୁ ଘରେ ରଖି ବାଧ୍ୟ ହୋଇ ଜିଲା ବାହାରକୁ ତଥା ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି । ଅନ୍ୟ ଉପାୟ ନପାଇ ଅନେକ ଅପରାଧ, ଅସାଧାରଣ କାମ କରି ରାତାରାତି ଅର୍ଥ ଉପାର୍ଜନ ର କୌଶଳ ଖୋଜୁଛନ୍ତି । ଅନେକାଂଶରେ ମାନସିକ ଚାପ, ସାମାଜିକ କୁଙଋା, ଅର୍ଥନୈତିକ ଅଭାବ, ପାରିବାରିକ ଦାୟିତ୍ୱର ଚାପରେ ଚେପା ହେଇ ଯାଉଛନ୍ତି । ଚାପ ମୁକ୍ତ ହେବା ବଦଳରେ ମଦ୍ୟପାନ, ଜୁଆ ସଟ୍ଟା ଖେଳିବା, ଚୋରି କରିବା, ଅସାମାଜିକ କାମରେ ଲିପ୍ତ ରହିବା ଏମିତି ଅନେକ ଭୁଲ୍ ରାସ୍ତାରେ ଚାଲିଯାଉଛନ୍ତି ।